ସ୍ବପ୍ନ (Dream)




ଦଲକାଏ ଶୀତୁଆ ପବନର ଛୁଆଁ ରେ ଥରି ଉଠିଲି ମୁଁ,
ତମେ ଟାଣିନେଇ ତମ ଛାତି ରେ କୋଳେଇ ଧରିଲ,
ତମ ଦେହର ଉତ୍ତାପ ରେ ମହମ ପରି ତରଳୁ ଥିଲି ମୁଁ,
ଇଚ୍ଛା ଥିଲା ତୁମ ସେ ଉଷୁମ ଆଳିଙ୍ଗନ ରେ ହଜି ଯିବାକୁ,
ରାତି ସେମିତି ବଢୁ ଥାଏ ଆଉ ତା' ସଂଗେ ଶୀତ ବି,
ତମେ ସେମିତି ଢାଙ୍କି ରଖିଥାଅ ମତେ ପ୍ରେମର ଚାଦର ରେ,
ଧୀରେ ଧୀରେ କଳାହାଣ୍ଡିଆ ମେଘ ଉହାଡେ ଲୁଚୁ ଥାଏ ଜହ୍ନ,
ସରି ସରି ଯାଉ ଥାଏ ରାତି ହେଲେ ଭରୁ ନଥାଏ ଏ ମନ,
ପାହାନ୍ତି ବେଳରେ ତମେ ବି ତ ହୋଇ ଉଠିଥିଲ;
ଖୁବ ଫାଜିଲ... !
ଚୁମିବାକୁ ଚାହୁଁ ଥିଲ...
ମୋ କଣ୍ଠ ଦେଶରେ ଉଙ୍କି ମାରୁ ଥିବା ସେ କଳା ରାଶିକୁ,
ମୋ ଖୋଲା କେଶର ଗହନ ଗୁଚ୍ଛ ହଟାଇ,
ଆଙ୍କିଦେଇ ଥିଲ ତୁମ ଓଠର ଆକାର ମୋ ଚିବୁକରେ,
ଲାଜରେ ନଇଁ ପଡ଼ିଥିଲେ ମୋର ଦୁଇ ପଲକ,
ପୂରୁବ ଆକାଶୁ ଉଇଁ ଆସିଥିଲା ରକ୍ତାଭ ସୁରୁଜ,
ଚେନାଏ କିରଣ ବିଞ୍ଚି ଦେଇଥିଲା ସେ,
ତମେ ଚୁମିଥିବା ମୋ ମୁହଁ ରେ,
ଆଖି ପଲକ ଉଠାଇ ଚାହିଁଲି...
ତମେ ତ ନଥିଲ !
ନିଜ ଉପରେ ଖୁବ ହସିଲି...
ମନକୁ କହିଲି...
"ଆଜି ଖୁବ ସୁନ୍ଦର ସ୍ବପ୍ନଟେ ଦେଖିଲି..."

Comments

Post a Comment

Popular Posts